ଡିସେମ୍ବର ୧୬ରେ ଶ୍ରମିକ ସମାବେଶ: ଏଆଇଟିୟୁସି ପ୍ରସ୍ତୁତି ବୈଠକ

Bartanews

ଡିସେମ୍ବର ୧୬ରେ ଶ୍ରମିକ ସମାବେଶ: ଏଆଇଟିୟୁସି ପ୍ରସ୍ତୁତି ବୈଠକ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଏଆଇଟିୟୁସି ସହବନ୍ଧିତ ଶ୍ରମିକ ସଂଗଠନମାନଙ୍କୁ ନେଇ ଆସନ୍ତା ଡିସେମ୍ବର–୧୬ତାରିଖ ଦିନ ଭୁବନେଶ୍ୱର ଶ୍ରମିକ ସମାବେଶ ସଫଳ କରିବା ପାଇଁ ଉତ୍ତମ ମଲ୍ଲିକଙ୍କ ସଭାପତିତ୍ବରେ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କମିଟିର ଆବାହକ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ରାଜ୍ୟସ୍ତରୀୟ ଶ୍ରମିକ ସମାବେଶର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ରାଜ୍ୟରେ ଶିଳ୍ପାୟନର ଦ୍ୱାହି ଦିଆଯାଉଥିବା ବେଳେ ହଜାର ହଜାର ଲଘୁ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ ବନ୍ଦ ହେବା ଫଳରେ‌ ଲକ୍ଷ ଲକ୍ଷ ଶ୍ରମିକ  ନିଯୁକ୍ତି ହରାଇ ଦୁଃସ୍ଥିତିରେ ଅଛନ୍ତି।

ଜୟପୁରର ସେବା କାଗଜ କଳ ୨୦୧୬ ମସିହାରୁ ବନ୍ଦ ଚାଲୁ, କିଣା ବିକା ଭିତରେ ଶ୍ରମିକ ମାନଙ୍କ ସ୍ବାର୍ଥ  ବଳି ପଡୁଥିବା ଅଭିଯୋଗ କରିଥିଲେ। ଶ୍ରମିକମାନଙ୍କ ପି ଏଫ୍, ପେନସନ ଓ  ଗ୍ରାଚ୍ୟୁଇଟି ବକେୟା ପାଉଣା ଟଙ୍କା କିଛି ମିଳୁ ନାହିଁ। କଞ୍ଚାମାଲ ଅଭାବରୁ କାରଖାନା ବାରମ୍ବାର ବନ୍ଦ ହେଉଛି, କାର୍ଯ୍ୟ ତ ଶ୍ରମିକମାନେ ପାଞ୍ଚ ମାସ ହେଲା ଦରମା ପାଇନାହାନ୍ତି। ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଯେହେତୁ ଓଡ଼ିଶାର ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଅତ୍ୟନ୍ତ ନିରୁତ୍ସାହଜନକ ଥିବାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଯୁବତୀ ତାଙ୍କ ଯୌବନ ଓଡ଼ିଶା ନିର୍ମାଣରେ ବିନିଯୋଗ କରି ନପାରି ବାହାର ରାଜ୍ୟର ବିକାଶରେ ଯୋଗଦାନ କରୁଛନ୍ତି ଏବଂ ଏହି ଦାଦନ ଶ୍ରମିକ ମଧ୍ୟ ବୟସରୁ ଅକାମୀ ହୋଇ ଫେରୁଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।

ରାଜ୍ୟରେ  ୨୦୧୩ ମସିହାରୁ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇନାହିଁ। ରାଜ୍ୟର ୨ ଲକ୍ଷ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା,ଦେଢ଼ ଲକ୍ଷ ଅଙ୍ଗନବାଡ଼ି କର୍ମୀ, ପଚାଶ ହଜାରରୁ ଊର୍ଦ୍ଧ୍ବ ଆଶାକର୍ମୀଙ୍କ ସମେତ ଲକ୍ଷ ଲକ୍ଷ ଅନ୍ୟାନ୍ୟ ସ୍କିମ୍ ଶ୍ରମିକ, ଆଉଟସୋର୍ସିଂ କର୍ମଚାରୀ ଦିନ ରାତି କାମକରି ମଧ୍ୟ ସର୍ବନିମ୍ନ ମଜୁରୀ ପାଉ ନାହାଁନ୍ତି। ସ୍କିମ୍ ଶ୍ରମିକ ଆଶା, ଅଙ୍ଗନବାଡ଼ି, ପାଚିକା ଓ ସହାୟିକାଙ୍କୁ ଗତ ଜୁଲାଇ ଓ ଅଗଷ୍ଟ ଆନ୍ଦୋଳନ ବେଳେ ସରକାର ଭତ୍ତା ବୃଦ୍ଧି ପ୍ରତିଶ୍ରୁତି ଦେଇ ମଧ୍ୟ ତାହାକୁ କାର୍ଯ୍ୟକାରୀ କରୁନଥିବା ସୂଚନା ଦେଇଥିଲେ। ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିସ କ୍ରମେ ଏମାନଙ୍କୁ ଶ୍ରମିକ ମାନ୍ୟତା ଦେଇ ନାହାନ୍ତି। ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଉ ନାହିଁ। ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଉଦ୍ଧିଷ୍ଟ ୪୪ ଟି ଶ୍ରମ ଆଇନକୁ ବାତିଲ କରି ଚାରିଟି ଶ୍ରମ କୋଡ଼୍ କେନ୍ଦ୍ର ସରକାର ଲାଗୁକରି ଶ୍ରମିକମାନଙ୍କୁ ଶୋଷଣ କରି ବେଠି ଖଟେଇବାର ରାସ୍ତା ପରିଷ୍କାର କରିଦେଇଛି।

 

Leave a Comment