ଡିଭାଇଡର୍‌ ଡେଇଁ ବସ୍‌ରେ ପିଟିହେଲା କାର୍‌: ଇଂଜିନିୟରିଂ ଛାତ୍ର ମୃତ, ୨ ଗୁରୁତର

Bartanews

ଡିଭାଇଡର୍‌ ଡେଇଁ ବସ୍‌ରେ ପିଟିହେଲା କାର୍‌: ଇଂଜିନିୟରିଂ ଛାତ୍ର ମୃତ, ୨ ଗୁରୁତର

ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପଟିଆ-ନନ୍ଦନକାନନ ରାସ୍ତାରେ ଶ୍ରୀବିହାର ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଲକାତାର ଅରିଞ୍ଜୟ ଦେ(୨୨)। ମୃତକ ଅରିଞ୍ଜୟ ଚଳାଉଥିବା କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁବା ପରେ ଏକ ବସ୍‌ରେ ପିଟିହୋଇଥିଲା। କାର୍‌ରେ ଥିବା ଅନ୍ୟ ୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେମାନେ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁସାରେ ପଟିଆସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିବା ୪ ଛାତ୍ର ଓ ଜଣେ ଛାତ୍ରୀ ଆଜି ସକାଳୁ ସକାଳୁ ପୁରୀ ଅଭିମୁଖେ ବାହାରିଥିଲେ।

ଓଡ଼ିଆ ଛାତ୍ର ମନୋଜ ପଣ୍ଡାଙ୍କ ସହ କୋଲକାତାର ଅରିଞ୍ଜୟ ଦେ, ଅର୍ଣ୍ଣବ ପାଲ୍‌, ରାଜଦୀପ ଦତ୍ତ ଓ ଛାତ୍ରୀ ରିତାପ୍ରଦ୍‌ ସରକାର୍‌ ଏକ କାର୍‌(ଓଡି ୦୨ ସିଜେ ୪୨୯୪) ଯୋଗେ ଯାଉଥିଲେ। ଅରିଞ୍ଜୟ କାର୍‌ ଚଳାଉଥିଲେ। ସେମାନେ ଶ୍ରୀବିହାର ଛକରେ ପହଞ୍ଚିଥିବା ବେଳେ କାର୍‌ର ବେଗ ହଠାତ୍ ବଢ଼ିଯାଇଥିଲା ଏବଂ ଅରିଞ୍ଜୟ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର୍‌ରେ କାର୍‌କୁ ପିଟି ଦେଇଥିଲେ। କାର୍‌ଟିର ବେଗ ଏତେ ଥିଲା ଯେ ତାହା ରାସ୍ତାର ଅପରପାର୍ଶ୍ବକୁ ଛିଟିକି ଯାଇ ଡମଣା ଦିଗରୁ ଆସୁଥିବା ଏକ ବସ୍‌(ଓଡି ୦୨ସିଜି ୨୬୩୨)ରେ ପିଟି ହୋଇଯାଇଥିଲା। ବସ୍‌ରେ ପିଟି ହେବା ପରେ କାର୍‌ଟି ପୁଣି ରାସ୍ତାରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଅରିଞ୍ଜୟଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ କାର୍‌ ଆଗ ସିଟ୍‌ରେ ବସିଥିବା ଛାତ୍ରୀ ରିତାପ୍ରଦ୍‌ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆହତମାନଙ୍କୁ କାର୍‌ ଭିତରୁ ବାହାର କରି ହସ୍ପିଟାଲକୁ ପଠାଇଥିଲା। ରାସ୍ତା ଉପରେ ପଡ଼ିଥିବା ଦୁର୍ଘଟଣାଗ୍ରସ୍ତ କାର୍‌କୁ ଉଠାଇବା ପାଇଁ ପ୍ରାୟ ଏକ ଘଣ୍ଟା କାଳ ଟ୍ରାଫିକ୍‌ ଜାମ୍ ହୋଇଥିଲା।

Leave a Comment