ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଯଜ୍ଞସ୍ଥଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

Bartanews

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଯଜ୍ଞସ୍ଥଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ: ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୬ ଦିନ ଧରି ମହାଯଜ୍ଞ ସହ ଚାରି ବେଦପାଠର ଆୟୋଜନ କରାଯାଇଛି। ଐଶାନ୍ୟକୋଣରେ ମହାଯଜ୍ଞର ଆୟୋଜନ ପାଇଁ ସ୍ଥିର ହୋଇଛି। ଏଣୁ ଆଜି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୀମନ୍ଦିର ଇଂଜିନିୟରମାନେ ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାଯଜ୍ଞରେ ସାମିଲ୍‌ ହେବାକୁ ଥିବା ବ୍ରାହ୍ମଣମାନଙ୍କୁ ନେଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ବିସ୍ତୃତ ଆଲୋଚନା କରିଛନ୍ତି।

ଲୋକାର୍ପଣ ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଶିଳାନ୍ୟାସ ପର୍ବଠାରୁ ଆହୁରି ବଡ଼ ଆକାରରେ ଆୟୋଜନ କରାଯାଉଛି। ଏଣୁ ସେହି ଅନୁସାରେ ମହାଯଜ୍ଞ ସ୍ଥଳର ବି ଆକାର ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଶ୍ରୀମନ୍ଦିର ପୂର୍ବ-ଉତ୍ତର କୋଣରେ ମହାଯଜ୍ଞ ଓ ସଭା ଆୟୋଜନ କରିବାକୁ ସ୍ଥିର କରାଯାଇଛି। ଯେଉଁ ସ୍ଥାନରେ ଶିଳାନ୍ୟାସ ଫଳକ ଲାଗିଛି, ସେହି ପାଖରେ ଲୋକାର୍ପଣ ଫଳକ ସ୍ଥାପନ କରିବାକୁ ଯୋଜନା ରଖାଯାଇଛି। ଏଣୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ନେତୃତ୍ବରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯଜ୍ଞସ୍ଥଳ ପରିଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାର ୬ ଦିନ ପୂର୍ବରୁ ଅର୍ଥାତ୍‌ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ, ୬ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଚାରିଦ୍ବାରରେ ଚାରିବେଦ ପାଠ ସାଙ୍ଗକୁ ଅଖଣ୍ଡ ନାମ ସଂକୀର୍ତ୍ତନ ହେବ। ଚାରିବେଦ ପାଠ ପାଇଁ ଚାରିଦ୍ବାରରେ ବେଦମଣ୍ଡପ ନିର୍ମାଣ ହେବ। ଜାନୁଆରି ୧୭ ତାରିଖରେ ଅପରାହ୍ଣ ସାଢ଼େ ଗୋଟାଏରୁ ୨ଟା ୨୫ ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ ଓ ପରିକ୍ରମା ପ୍ରକଳ୍ପର ଫଳକ ଲୋକର୍ପଣ ହେବ।

Leave a Comment