ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ

Bartanews

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ

ସମ୍ବଲପୁର: ସମ୍ବଲପୁର ବରେଇପାଲି ଥାନା ପାଞ୍ଚଗଛିଆଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା ଘଟିଛି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ ରହିଛନ୍ତି । ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ । ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ଦୁଇ ଦିନ ତଳେ ଜଣେ ସ୍କୁଲ ଛାତ୍ରୀ କିଛି ସାଙ୍ଗଙ୍କ ସହ କ୍ଲାସ ରୁମ ଭିତରେ ଥିଲେ । ସେହି ସମୟରେ ଇଂରାଜୀ ଶିକ୍ଷକ କ୍ଲାସ ଭିତରକୁ ଆସି ଉକ୍ତ ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ଏହି ସମୟରେ ତାଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡିତା ଛାତ୍ରୀ । ଏଭଳି ଘଟଣା ପରେ ଛାତ୍ରୀ ଜଣକ ମାନସିକ ଭାବରେ ଭାଙ୍ଗି ପଡ଼ିବା ପରେ ଛାତ୍ରୀ ଜଣକ ଘଟଣା ସଂପର୍କରେ ପରିବାର ବର୍ଗଙ୍କୁ ଜଣାଇଥିଲେ । ଆଜି ଅଭିଭାବକ ସଂଘ ଏ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପୁଲିସକୁ ଖବର ଦିଆଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ସ୍କୁଲରେ ପହଞ୍ଚି ମହିଳା ଥାନା ଅଧିକାରୀଙ୍କ ସହ ଘଟଣାର ଅଧିକ ତଦନ୍ତ କରିଥିଲେ । ଅଭିଯୁକ୍ତ ଶିକ୍ଷକ ଅରୁଣ ଯୋଶୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି  ।

Leave a Comment