ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

Bartanews

ଚମକାଇଲା ବିଜେପି: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବୃହତ ବିଜୟ

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ‌ରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଛି। ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କେବଳ ତେଲେଙ୍ଗାନାରେ ଏହାକୁ ସାନ୍ତ୍ବନାମୂଳକ ବିଜୟ ମିଳିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ଏହି ତିନିଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଯାହା କୁହାଯାଉଥିଲା, ତାହା ଦେଖିବାକୁ ମିଳିନାହିଁ। କଂଗ୍ରେସ ନିଜ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ ସରକାର-ବିରୋଧୀ ହାୱାରେ ଟଳି ପଡ଼ିଛି। ଏଠାରେ ବିଜେପିକୁ ଟକ୍କର ଦେଇପାରି ନାହିଁ। ଅନ୍ୟପକ୍ଷରେ ବିଜେପି ନିଜ ଗଢ଼ ମଧ୍ୟ ପ୍ରଦେଶରେ ସରକାର-ବିରୋଧୀ ହାୱାକୁ ଧୂଳିସାତ କରିବା ସହିତ ପୂର୍ବ ଅପେକ୍ଷ‌ା ଅଧିକ ଆସନ ହାସଲ କରିଛି। ରାଜ୍ୟରେ ଶିବରାଜ ସିଂହ‌ ଚୌହ୍ବାନଙ୍କ ନେତୃତ୍ବରେ ବିଜେପି ଦୁଇ ତୃତୀୟାଂଶ ଆସନ ଦଖଲ କରି କଂଗ୍ରେସକୁ ବହୁ ପଛକୁ ଠେଲି ଦେଇଛି। ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେମି ଫାଇନାଲ କୁହାଯାଉଥିବା ଏହି ବିଧାନସଭା ନିର୍ବାଚନର ଫଳାଫଳ ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି।

ତେବେ ଆଜିର ଫଳାଫଳର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦିଗଟି ଥିଲା ତେଲେଙ୍ଗାନା ରାଜ୍ୟ। ନିଜକୁ ଜାତୀୟ ଦଳ ରୂପେ ଉପସ୍ଥାପିତ କରିବାକୁ ବଡ଼ ଧରଣର ଯୋଜନା କରିଥିବା ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍ ନିଜ ଗଢ଼ ତେଲେଙ୍ଗାନାରେ ଭୁଶୁଡ଼ି ପଡ଼ିଛି। ରାଜ୍ୟ ଗଠନ ହେବା ଦିନ ଠାରୁ ୧୦ ବର୍ଷ ଧରି ଏହି ଦଳ ଶାସନ କ୍ଷମତାରେ ଥିଲା। ଏଥର ବିଜୟ ହାସଲ କରି ହ୍ୟାଟ୍ରିକ୍ ଆଶାରେ ଥିଲେ ମୁଖ୍ୟମନ୍ତ୍ରୀ ରାଓ। କିନ୍ତୁ କଂଗ୍ରେସ ତାଙ୍କର ସ୍ବପ୍ନକୁ ଚୂରମାର କରିଦେଇଛି। ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା ଏବଂ କଂଗ୍ରେସକୁ ବହୁ ପଛରେ ପକାଇ ବିଜେପି ୧୬୫ ଆସନ ହାସଲ କରିଛି। ରାଜ୍ୟରେ କ୍ଷମତା ଦଖଲ ଆଶାରେ ଥିବା କଂଗ୍ରେସକୁ ମାତ୍ର ୬୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବଂ ମହିଳାମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ଆଧାର କରି ବିଜେପି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି। ରାଜ୍ୟରେ ୨୦୧୮ ତୁଳନାରେ ଏଥର ୨ ଭାଗ ଅଧିକ ମହିଳା ଭୋଟ୍ ଦେଇଛନ୍ତି। ସେମାନଙ୍କ ଭୋଟ୍ ବିଜେପି ସପକ୍ଷରେ ଯାଇଥିବା କୁହାଯାଉଛି। ଫଳରେ ଗତ ନିର୍ବାଚନ ଅପେକ୍ଷା ଏଥର ବିଜେପିକୁ ଅଧିକ ଆସନ ମିଳିଛି।

କଂଗ୍ରେସ ଦଖଲରେ ତେଲେଙ୍ଗାନା
ହାତରୁ ଗଲା ରାଜସ୍ଥାନ, ଛତିଶଗଡ଼
ବିଆର୍‌ଏସ୍ ହ୍ୟାଟ୍ରିକ୍ ସ୍ବପ୍ନକୁ ଝଟକା

ସେହିଭଳି ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୧୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟରେ ପୁଣି କ୍ଷମତାକୁ ଆସିବାକୁ ସବୁ ଶକ୍ତି ଖଟାଇଥିବା କଂଗ୍ରେସ ମାତ୍ର ୭୦ ଆସନରେ ବିଜୟୀ ହୋଇଛି। ଏଠାରେ ବିଏସ୍‌ପିକୁ ୨ ଆସନ ମିଳିଥିବା ବେଳେ ଅନ୍ୟମାନଙ୍କୁ ୧୨ଟି ଆସନ ମିଳିଛି। ରାଜ୍ୟରେ କଂଗ୍ରେସ ଭିତରେ ଫାଟ ଏହାର ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଗେହଲଟ୍ ଏବଂ ବରିଷ୍ଠ ନେତା ସଚି ପ‌ାଇଲଟଙ୍କ ମଧ୍ୟରେ ମତଭେଦ ଯୋଗୁଁ ଦଳରେ ଗେ‌ାଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ମୁଖ୍ୟମନ୍ତ୍ରୀ ଅନେକ କଲ୍ୟାଣକାରୀ ସ୍କିମ୍ ଘୋଷଣା କରିଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ଏହାକୁ ଫିକା କରିଦେଇଥିଲା। ଏଥିରୁ ବିଜେପିକୁ ଭରପୂର ଫାଇଦା ମିଳିଥିଲା। ତେବେ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ମିଳିଛି ଛତିଶଗଡ଼ରେ। ରାଜ୍ୟରେ ଦଳ ନିଶ୍ଚୟ ବିଜୟୀ ହେବ ବୋଲି ଦୃଢ଼ନିଶ୍ଚିତ ଥିଲା। ସମସ୍ତ ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସ ସପକ୍ଷରେ ଆକଳନ କରିଥିଲେ। କିନ୍ତୁ ଉଭୟ କଂଗ୍ରେସ ସରକାରର ରଣନୀତି ଏବଂ ଏକଜିଟ୍ ପୋଲ୍ ଫେଲ ମାରିଲା। ବିଜେପିକୁ ଏଠାରେ ଅପ୍ରତ୍ୟାଶିତ ବିଜୟ ମିଳିଛି।

ରାଜ୍ୟରେ ୯୦ ଆସନରୁ ବିଜେପି ୫୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ୨୦୧୮ ବିଧାନସଭା ନିର୍ବାଚନ ତୁଳନାରେ ବିଜେପି ଏଥର ଅଧିକ ୪୦ ଆସନ ହାସଲ କରି କ୍ଷମତାକୁ ଫେରିଛି। କ୍ଷମତା ରହିବାକୁ ସ୍ବପ୍ନ ଦେଖୁଥିବା କଂଗ୍ରେସକୁ ୩୫ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ବିଭିନ୍ନ ଏକ୍‌ଜିଟ ପୋଲ୍‌ରେ ଛତିଶଗଡ଼ରେ କଂଗ୍ରେସର ବିଜୟ ହେବ ବୋଲି କୁହାଯାଇଥିବା ବେଳେ ବିଜେପି ଏହାକୁ ଭୁଲ୍‌ ପ୍ରମାଣିତ କରିଛି । ୯୦ ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୬୪ ଆସନରେ ବିଜୟୀ ହୋଇ କେସିଆର୍‌ ସରକାରର ପତନ ଘଟାଇଛି। ରାଜ୍ୟରେ ବିଆର୍‌ଏସ୍‌ ୪୦ ଆସନରେ ଜିତିଛି। ଅନ୍ୟପକ୍ଷରେ ୨୦୧୮ ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ ମାତ୍ର ଗୋଟିଏ ଆସନ ହାସଲ କରିଥିବା ବିଜେପି ଏଥର ୮ ଆସନ ହାସଲ କରିଛି । ରାଜ୍ୟରେ ଏଆଇଏମ୍‌ଆଇଏମ୍‌କୁ ୭ ଆସନ ମିଳିଛି। ତେଲେଙ୍ଗାନାରେ ଏଆଇଏମ୍‌ଆଇଏମ୍‌କୁ ବିଜେପି ପଛରେ ପକାଇଦେବା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଏହା ସୁଶାସନ ଓ ବିକାଶର ରାଜନୀତି ସପକ୍ଷରେ ଲୋକଙ୍କ ଭରସା ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିର୍ବାଚନ ପରିଣାମକୁ ନେଇ କହିଛନ୍ତି, ଜନାଦେଶକୁ ଆମେ ବିନମ୍ରତାପୂର୍ବକ ସ୍ବୀକାର କରୁଛୁ। ତେବେ ବିଚାରାଧାରାର ଲଢ଼େଇ ଜାରି ରହିବ। ତେଲେଙ୍ଗାନାବାସୀଙ୍କୁ ବହୁତ ଧନ୍ୟବାଦ ବୋଲି ରାହୁଲ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ…

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼। ଏହି ୪ଟି ରାଜ୍ୟ ମଧ୍ୟରୁ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି। ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ନିଜ ଦଳର କ୍ଷମତା ବଜାୟ ରଖିଛନ୍ତି। କିନ୍ତୁ ଯାହା ଖବର ମିଳୁଛି, ତାଙ୍କର ଆସନ ମଧ୍ୟ ସୁରକ୍ଷିତ ନୁହେଁ। ତାଙ୍କ ବଦଳରେ ଅନ୍ୟ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବ‌ା ଲାଗି ବିଜେପି ବିଚାର କରୁଥିବା କୁହାଯାଉଛି।
ଯଦିଓ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି, ଆହୁରି ଅନେକ ନେତା ଏହି ପଦ ପାଇଁ ଦାବିଦାର ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ନରେନ୍ଦ୍ର ସିଂହ ତୋମର, କୈଳାସ ବିଜୟବର୍ଗୀୟ, ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ନେତାଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିପାରନ୍ତି। ତେବେ ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଶିବରାଜ ସିଂହ ଚୌହାନଙ୍କ ଭୂମିକା ରହିଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବା ଆଗରେ ରହିଛନ୍ତି।

ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ଓ ବାଲକ ନାଥ। ଛତିଶଗଡ଼ ହେଉଛି ଏକ ଆଦିବାସୀବହୁଳ ରାଜ୍ୟ। ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରା ଚୟନ କରିବାକୁ ନିଷ୍ପତ୍ତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂହ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ରାମବିଚାର ନେତମ ଓ ଅରୁଣ ସାଓଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି।
ତେଲେଙ୍ଗାନାରେ କଂଗ୍ରେସ ସଭାପତି ଆନୁମୁଲ୍ଲା ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଅନ୍ତିମ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ ରହିଛି।

Leave a Comment