କାଠଫାଳିଆରେ ଜେଜେଙ୍କୁ ହତ୍ୟା, ନାତିକୁ ଆଜୀବନ

Bartanews

ଘଣ୍ଟାପଡ଼ା ଜିଆର୍‌ଏସ୍‌ଙ୍କୁ ୩ବର୍ଷ ଜେଲ

ସୁନ୍ଦରଗଡ଼: ୨୦୧୬‌ରେ କାଠଫାଳିଆରେ ଜେଜେଙ୍କୁ ହତ୍ୟା କରିଥିବା ନାତି ଲେଫ୍ରିପଡ଼ା ଥାନା ସିପୋକଛାର ଗାଁର ପଦ୍ମଲୋଚନ ପ୍ରଧାନ (୩୨)କୁ ସୋମବାର ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ‌ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍‌ ଦଣ୍ଡ ୩ ମାସ ବୃଦ୍ଧି କରିବାକୁ ରାୟରେ କୋର୍ଟ ଉଲ୍ଲେଖ କରିଛନ୍ତି।

ମାମଲାରୁ ଜଣାଯାଇଛି ଯେ, ଲୋମହର୍ଷକ ହତ୍ୟାକାଣ୍ଡଟି ଘଟିଥିଲା ୨୦୧୬ ଏପ୍ରିଲ ୨ ତାରିଖରେ। ସିପୋକଛାର ଗାଁର ଅର୍ଜୁନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଫୁଲ ପ୍ରଧାନଙ୍କ ସହ ନାତି ପଦ୍ମଲୋଚନ ଘରୋଇ କଥାକୁ ନେଇ ସବୁବେଳେ ଝଗଡ଼ା କରୁଥିଲା। ଘଟଣାଦିନ ଅର୍ଥାତ ୨୦୧୬ ଏପ୍ରିଲ ୨ ତାରିଖ ସକାଳ ୬ଟାରେ ଅର୍ଜୁନ ସହ ପଦ୍ମଲୋଚନଙ୍କ ଝଗଡ଼ା ହୋଇଥିଲା। ହଠାତ ପଦ୍ମଲୋଚନ ଉତକ୍ଷିପ୍ତ ହୋଇ କାଠଫାଳିଆରେ ଜେଜେ ଅର୍ଜୁନଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଅର୍ଜୁନ ତଳେ ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଜେଜେଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ବି ପଦ୍ମଲୋଚନ ବିଚଳିତ ହୋଇ ନଥିଲା, ବରଂ ସାମ୍ନାକୁ ଆସିଥିବା ଆଈ ଫୁଲଙ୍କୁ ମଧ୍ୟ ପ୍ରହାର କରି ରକ୍ତାକ୍ତ କରି ଦେଇଥି‌ଲା। ମୃତ ଅର୍ଜୁନଙ୍କ ମଝିଆ ପୁଅ ସହଦେବ ଦୌଡ଼ି ଆସି ମା’ ଫୁଲଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଲେଫ୍ରିପଡ଼ା ଥାନାରେ ପଦ୍ମଲୋଚନଙ୍କ ନାମରେ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁ୍କ୍ତ ନାତିକୁ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବାବେଳେ ୨୦୨୨ ଜୁଲାଇ ୨୬ରେ ସାକ୍ଷ୍ୟ ଗ୍ରହଣ କରି ଅତିରିକ୍ତ ଦୌରାଜଜ୍‌ ରାଜେଶ ଦାଶ ରାୟକୁ ସଂରକ୍ଷିତ ରଖିଥିଲେ। ସୋମବାର ଦଣ୍ଡ ଶୁଣାଇଥିଲେ। ମାମଲାକୁ ଅତିରିକ୍ତ ପିପି ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିଲେ।

Leave a Comment