କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

Bartanews

କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

ଭୁବନେଶ୍ବର: ନୂଆପଲ୍ଲୀ ୱାର୍ଡ ନଂ ୨୫ ଏନ-୪ସ୍ଥିତ ବିଏମ୍‌ସି ପାର୍କ‌ରେ ବିନା ଅନୁମତି‌‌ରେ ହାଇମାଷ୍ଟ ଲାଇଟ୍ ଲଗାଇବାକୁ ନେଇ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଓ ସାଂସଦଙ୍କ ପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝ‌ାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ସାଂସଦଙ୍କ ପ୍ରତିନିଧିଙ୍କ ନେତୃତ୍ବରେ ଏନ୍‌-୪ସ୍ଥିତ ବିଏମସି ପାର୍କରେ ଏକ ହାଇମାଷ୍ଟ ଲାଇଟ୍ ଲଗାଇବା ପାଇଁ ଗାତ ଖୋଳା ଚାଲିଥିଲା। ଖବର ପାଇ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ପହଞ୍ଚି ଲାଇଟ୍‌ ଲଗାଇବା ପାଇଁ ବିଏମସିର ସ୍ବୀକୃତିପତ୍ର ମାଗିଥିଲେ। ସାଂସଦଙ୍କ ପ୍ରତିନିଧି ପାଖରେ ବିଏମ୍‌ସିର ଅନୁମତି ନଥିବାରୁ ସେ ଦେଖାଇ ପାରିନଥିଲେ। ବରଂ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥା କଟାକଟି ହୋଇଥିଲା। ଏନେଇ କର୍ପୋରେଟର ମାନସୀରାଣୀ କହିଛନ୍ତି ଯେ ବିଏମ୍‌ସିର ବିନାନୁମତିରେ ପାର୍କ ଭିତରେ କାମ ଚାଲିଥିଲା।

ଅନୁମତି ମାଗିବାରୁ ସାଂସଦଙ୍କ ପ୍ରତିନିଧି ଓ ଅନ୍ୟ ସହଯୋଗୀମାନେ ଦୁର୍ବ୍ୟବହାର କରିଥିଲେ। ଏନେଇ ସ୍ଥାନୀୟ ସାଂସଦଙ୍କ ପ୍ରତିନିଧି ଅନଙ୍ଗ ବିକ୍ରମ ବିଶ୍ବାଳ କହିଛନ୍ତି, ଗତ ୨୨ ତାରିଖରେ ସାଂସଦ ଏହି ପାର୍କକୁ ଆସିଥିବା ବେଳେ ଏଠାରେ ନିୟମିତ ଯୋଗ କରୁଥିବା ବରିଷ୍ଠ ନାଗରିକମାନେ ସନ୍ଧ୍ୟା ସମୟରେ ଆଲୋକ ଅଭାବ ବାବଦରେ ଅବଗତ କରାଇଥିଲେ। ପାର୍କରେ ଏକ ହାଇମାଷ୍ଟ ଲାଇଟ୍‌ ସହ ପାନୀୟଜଳ ସୁବିଧା କରାଇବା ଓ ଯୋଗ ପାଇଁ ସେଡ୍ ତିଆରି କରିବା ପାଇଁ ସାଂସଦ ପ୍ରତିଶ୍ରୁତି ଦେଇଥି‌ଲେ। ଏନେଇ ସେ ବିଏମ୍‌ସି କମିସନରଙ୍କ ସହ ମଧ୍ୟ କଥା ହୋଇଥିଲେ। ଯୋଗ ସେଡ୍ ବିଏମ୍‌ସି ପକ୍ଷରୁ ତିଆରି କରାଯିବ ବୋଲି କମିସନର କହିଥିଲେ। ତେଣୁ ଆଜି ସାଂସଦଙ୍କ ତରଫରୁ ହାଇମାଷ୍ଟ ଲାଇଟ୍ ଓ ପିଇବା ପାଣି ବ୍ୟବସ୍ଥା‌ କରାଯାଉଥିବା ବେଳେ ସ୍ଥାନୀୟ କର୍ପୋରେଟର ଆସି କାମ ବନ୍ଦ କରିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିବ‌ା ଶ୍ରୀ ବିଶ୍ବାଳ କହିଛନ୍ତି। ଉଭୟ ପକ୍ଷରୁ ହୋଇଥିବା ଏତଲା ଆଧାରରେ ମାମଲା ରୁଜୁ ହୋଇନଥିବା ପୁଲିସ କହିଛି।

Leave a Comment