ଭୁବନେଶ୍ୱର: ଜେଲ୍ ଆଧୁନିକୀକରଣ ଯୋଜନାରେ ଏବେ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେଉଛି ଜେଲ୍ ବିଭାଗ। ତେଣୁ କଏଦୀଙ୍କ ଉପରେ ନଜର ରଖିବା ପାଇଁ ବଡି କ୍ୟାମେରା ବ୍ୟବହାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍କୁ ୨୦ଟି ବଡି କ୍ୟାମେରା ଦିଆଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ଜେଲ୍ ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଝାରସୁଗଡ଼ା,ସୁନ୍ଦରଗଡ଼, କୋରାପୁଟ ଜେଲ୍କୁ ମିଳିଥିଲା। ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ଜେଲ୍କୁ ମିଳିବାକୁ ଯାଉଛି। ଏହି ଜେଲ୍ ଗୁଡିକ ହେଲା ଅନୁଗୁଳ,ଜଗତସିଂହପୁର, ଯାଜପୁର,ଆଠଗଡ଼, କୁଜଙ୍ଗ, ପାଟଣାଗଡ଼,କଣ୍ଟାବାଞ୍ଜି, ବରଗଡ଼, ବଲାଙ୍ଗୀର ଏବଂ ପୁରୀ ଜେଲ୍କୁ ମିଳିବ। ପ୍ରତି ଜେଲ୍କୁ ୧୦ ଲେଖାଏଁ ବଡି କ୍ୟାମେରା ମିଳିବ ବୋଲି ଜଣାପଡ଼ିଛି। ପରେ ପୁଣି ଅନ୍ୟ ଜେଲ୍ଗୁଡ଼ିକୁ ମିଳିବ ବୋଲି ଜେଲ୍ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅନେକ ସମୟରେ ଜେଲ୍ ଭିତରକୁ ବିଭିନ୍ନ ନିଶାଦ୍ରବ୍ୟ, ମୋବାଇଲ୍ ଏବଂ ସିମ୍ ଯାଉଛି। ତେଣୁ ଏହାକୁ ରୋକ ଲଗାଇବା ସହ ଜେଲ୍ ଭିତରେ କଏଦୀଙ୍କ ଗତିବିଧି ନଜର ରଖିବ। ବଡ଼ କଥା ହେଲା ଅନେକ ସମୟରେ ଜେଲ୍ ଭିତରେ କଏଦୀମାନେ ଆତ୍ମହତ୍ୟା କରୁଛନ୍ତି। ତେଣୁ ଏହି ବଡି କ୍ୟାମେରା ଦ୍ୱାରା କଏଦୀଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବ। ୱାର୍ଡରମାନେ ଡ୍ୟୁଟି ସମୟରେ ଏହି ବଡି କ୍ୟାମେରା ପିନ୍ଧିବେ। ଡ୍ୟୁଟି ଶେଷ ହେବା ପରେ ଏହି କ୍ୟାମେରାକୁ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ହସ୍ତାନ୍ତର କରିବେ। ଏହାକୁ ତଦାରଖ କରିବ ସ୍ପେଶାଲ କଣ୍ଟ୍ରୋଲ ରୁମ୍। ପ୍ରତିଦିନ ଏହି କଣ୍ଟ୍ରୋଲ ରୁମ୍ ଭିଡିଓ ସବୁ ଯାଞ୍ଚ କରିବ। ଯେଉଁ ୱାର୍ଡର ନିୟମ ଉଲ୍ଲଂଘନ କରିଥିବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ ଅଧିକାଂଶ ଜେଲ୍ରେ ସିସିଟିଭି ମରାମତି କାର୍ଯ୍ୟ କରାଯାଏ। ସେଠାରେ କର୍ମଚାରୀ ବଡି କ୍ୟାମେରା ପିନ୍ଧି ଜେଲ୍ ବୁଲିବେ, ଯାହାଫଳରେ କଏଦୀଙ୍କ ଉପରେ ନଜର ରହିବ।