ଓଆଇସି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌

Bartanews

ଓଆଇସି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌

ଆସିକା: ୨୦୧୦ ନଭେମ୍ବର ୬ରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାର ପ୍ରାକ୍ତନ ଓଆଇସି ମନୋରଞ୍ଜନ ମିଶ୍ରଙ୍କୁ ରାସ୍ତାରେ ଗୁଳି କରି ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡା ଧରାପଡ଼ିଛି। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଗତକାଲି ତାକୁ ସ୍ଥାନୀୟ ଏକ ଲଜ୍‌ରୁ କାବୁ କରିବା ପରେ ଗଞ୍ଜାମ ଜିଲ୍ଲା ପୁଲିସକୁ ହସ୍ତାନ୍ତର କରିଥିଲା। ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ସମୀରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଓ ଏହା ଅନାଦେୟ ହେଲେ ଅଧିକ ୪ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ‌ହେବ ବୋଲି ରାୟରେ ଦର୍ଶାଇଛନ୍ତି।

ପୂର୍ବରୁ ଗତମାସ ୧୫ରେ ମାମଲାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବେହେରାକୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଅଭିଯୁକ୍ତ ସୁନୀଲ ବେହେରାକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। କିନ୍ତୁ ରାୟ ପ୍ରକାଶ ଦିନ ସମୀର କୋର୍ଟରେ ଅନୁପସ୍ଥିତ ରହିଥିବାରୁ ତା ନାମରେ ୱାରେଣ୍ଟ୍ ଜାରି ହୋଇଥିଲା। ସେ ଫେରାର ଉଦ୍ଦେଶ୍ୟରେ ବ୍ରହ୍ମପୁରର ଏକ ଲଜ୍‌ରେ ଆତ୍ମଗୋପନ କରିଥିବା ବେଳେ ପୁଲିସ ଚଢ଼ଉ କରି ତାକୁ ଧରିବାରେ ସଫଳ ହୋଇଥିଲା। ଆଜି ଆସିକା ଏଡିଜେ ୨୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ତାକୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ରାଓ ମକଦମା ପରିଚାଳନା କରିଥିଲେ।

Leave a Comment