ଉତ୍କଣ୍ଠାପୂର୍ଣ୍ଣ ବିଜୟ: ଅଷ୍ଟ୍ରେଲିଆ ୬ ରନ୍‌ରେ ହାରିଲା, ଭାରତ ୪-୧ରେ ଶୃଙ୍ଖଳା ଜିତିଲା

Bartanews

ଉତ୍କଣ୍ଠାପୂର୍ଣ୍ଣ ବିଜୟ: ଅଷ୍ଟ୍ରେଲିଆ ୬ ରନ୍‌ରେ ହାରିଲା, ଭାରତ ୪-୧ରେ ଶୃଙ୍ଖଳା ଜିତିଲା

ବେଙ୍ଗାଲୁରୁ: ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଧ୍ବ ରନ୍‌ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍‌ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍‌ କରି ମଧ୍ୟ ହାରିଯାଇଥିଲା। ଶେଷ ଦୁଇ ମ୍ୟାଚ୍‌ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉଭୟ ଥର ଭାରତ ଛୋଟ ସ୍କୋର୍‌ କରି ମଧ୍ୟ ଏହାକୁ ସୁରକ୍ଷିତ ରଖି ମ୍ୟାଚ୍ ଜିତି ନେଇଛି। ଏଥି ସହ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ ବ୍ୟବଧାନରେ ଜିତି ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ପରାଜୟର ଗ୍ଲାନିକୁ କିଛି ମାତ୍ରାରେ ଦୂର କରିଛି। ବିଶେଷ କରି ଯୁବ ଖେଳାଳିଙ୍କୁ ନେଇ ଗଠିତ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ଏହି ବିଜୟ ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଅନେକ ମହତ୍ବ ରଖିଛି। ଶୁକ୍ରବାର ରାତିରେ ୧୭୪ ରନ୍‌ କରି ଭାରତ ୨୦ ରନ୍‌ରେ ଜିତିଥିଲା। ରବିବାର ୧୬୦ ରନ୍‌ କରିଥିଲେ ମଧ୍ୟ ୬ ରନ୍‌ ବ୍ୟବଧାନରେ ଜିତିଛି। ଏଥି ସହିତ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ମଧ୍ୟ ୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବା ଦଳ ଜିତିବାର ଦ୍ବିତୀୟ ମାତ୍ର ଉଦାହରଣ ହୋଇଛି।

ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୧୦ ରନ୍‌ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ‌ୱେଡ୍‌ ମୁକାବିଲା କରିଥିଲେ ଭାରତର ସବୁଠାରୁ ମହଙ୍ଗା ବୋଲର୍‌ ଅର୍ଶଦୀପ ସିଂହ। ଏହି ନିର୍ଣ୍ଣାୟକ ଓଭର ବୋଲିଂ କରିବାକୁ ଆସିବା ପୂର୍ବରୁ ବାମହାତୀ ଅର୍ଶଦୀପ ୩ ଓଭରରେ ୩୭ ରନ୍‌ ଦେଇ ଚାପରେ ଥିଲେ। କିନ୍ତୁ ୨୦ତମ ଓଭରରେ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲେ। ବାଉଁସର ଓ ୟର୍କର ଲେନ୍‌ଥରେ ବୋଲିଂ କରି ମାତ୍ର ୩ ରନ୍‌ ଦେଇଥିଲେ। ୱେଡ୍‌ ପ୍ରଥମ ଦୁଇ ବଲ୍‌ ‌ଡଟ୍ ଖେଳିବା ପରେ ତୃତୀୟକୁ ଲମ୍ବା ସଟ୍‌ ଖେଳି ଲଙ୍ଗ ଅନ୍‌ରେ ଶ୍ରେୟସ ଆୟରଙ୍କ ହାତରେ ଧରାପଡ଼ିଯାଇଥିଲେ। ପରବର୍ତ୍ତୀ ୩ ବଲ୍‌ରେ ଗୋଟିଏ ଲେଖାଏଁ ରନ୍‌ ଦେଇ ହାରୁଥିବା ମ୍ୟାଚ୍‌କୁ ଜିତାଇ ଦେଇଥିଲେ। ପୂର୍ବରୁ ସେ ମଧ୍ୟ ଅଷ୍ଟ୍ରେଲିଆ ପାଳିର ଏକମାତ୍ର ଅର୍ଦ୍ଧଶତକ ହାସଲକାରୀ ବେନ୍ ମ୍ୟାକଡର୍ମଟଙ୍କୁ ଆଉଟ୍ କରିଥିଲେ। ହଠାତ୍ ଖଳନାୟକରୁ ନାୟକ ପାଲଟିଯାଇଛନ୍ତି ଏହି ପଞ୍ଜାବୀ ସିଂହ। ଅକ୍ଷର ପଟେଲ୍‌ଙ୍କ ବୋଲିଂ (୪-୦-୧୪-୧) ପ୍ରଭାବୀ ରହିଥିବା ବେଳେ ବିବାହ ପରେ ଦଳକୁ ଫେରିଥିବା ମୁକେଶ କୁମାର (୪-୦-୩୨-୩) ସଫଳତମ ବୋଲର ହୋଇଛନ୍ତି। ଅକ୍ଷର ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ରବି ବିଷ୍ଣୋଇ (୯ ୱିକେଟ୍‌) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଭାରତ କ୍ରମାଗତ ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଚମ ଓଭର ବେଳକୁ ଉଭୟ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଫଳରେ ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ ୪୨/୨ ସ୍ଥିତିରେ ରହିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ମଧ୍ୟ ଶସ୍ତାରେ ଆଉଟ୍ ହୋଇଯିବା ଭାରତକୁ ଚାପରେ ପକାଇଥିଲା। ତେବେ ଶ୍ରେୟସ ଆୟରଙ୍କ ସହ ମିଶି ଜ‌ିତେଶ ଶର୍ମା ଓ ଅକ୍ଷର ପଟେଲ୍‌ ଗଢ଼ିଥିବା ଦୁଇଟି ଛୋଟ ଛୋଟ ଭାଗୀଦାରି କାରଣରୁ ଭାରତ ୧୬୦ ରନ୍‌ରେ ପହଞ୍ଚିପାରିଥିଲା। ଶ୍ରେୟସ ଆୟର ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ମାତ୍ରେ ଆଉଟ୍ ହୋଇଯାଇଥିଲେ। ଜ‌ିତେଶ ୧୬ ବଲ୍‌ରୁ ୨୪ ଓ ଅକ୍ଷର ୨୧ ବଲ୍‌ରୁ ୩୧ ରନ୍‌ କରିବାରୁ ଏହା ସମ୍ଭବ ହୋଇଥିଲା।

Leave a Comment