ଇଣ୍ଟରପୋଲ୍‌‌ର ସହାୟତା ଲୋଡ଼ିଲା ଇଓଡବ୍ଲ୍ୟୁ : ଚିହ୍ନଟ ହେବେ ଚାଇନା ଠକ

Bartanews

ଇଣ୍ଟରପୋଲ୍‌‌ର ସହାୟତା ଲୋଡ଼ିଲା ଇଓଡବ୍ଲ୍ୟୁ : ଚିହ୍ନଟ ହେବେ ଚାଇନା ଠକ

ଭୁବନେଶ୍ୱର: ରାଜ୍ୟରେ ହେଉଥିବା ସାଇବର ଠକେଇ ଏବଂ ଆପ୍‌‌ ଠକେଇ ପଛରେ ଚାଇନା ଠକଙ୍କ ହାତ। କେବଳ ଓଡ଼ିଶା ନୁହେଁ; ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଦିଲ୍ଲୀ, ମୁମ୍ବାଇ, ଛାଡ଼ଖଣ୍ଡ ଆଦି ରାଜ୍ୟରୁ ଏହି ଚାଇନା ଠକ ପ୍ରତିଦିନ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। ଠକେଇ ଟଙ୍କା ଦୁବାଇକୁ ଯାଉଛି। ସେଠାରୁ କ୍ରିଫ୍ଟୋ କରେନ୍ସି ମାଧ୍ୟମରେ ଚୀନ୍‌‌କୁ ପଠାଯାଉଛି। ଏହି ଠକାମିର ମୁଖ୍ୟ ମାଧ୍ୟମ ସାଜିଛି ନକଲି ଆପ୍‌‌। ଚାଇନା ଠକ ବେଙ୍ଗାଲୁରୁକୁ ଆସି ଠକେଇ ପାଇଁ ବ୍ଲୁ-ପ୍ରିଣ୍ଟ କରୁଛନ୍ତି। ଭାରତରେ ଏକାଧିକ ଲୋକ ଯୋଗାଡ଼ କରି ଚୀନ୍‌‌ ପଳାଉଛନ୍ତି। ଚୀନ୍‌‌ରେ ବସି ଭାରତୀୟ ଲୋକଙ୍କ ଦ୍ୱାରା ଠକେଇ କରୁଛନ୍ତି। ଠକେଇ କରୁଥିବା ଆପ୍‌‌ଗୁଡିର ପଞ୍ଜୀକରଣ ଦେଶ ବାହାରେ ହେଉଥିବା ବେଳେ ପରେ ଦୁବାଇରୁ ଏସବୁ ଆପ୍‌‌ ଅପରେଟ୍‌‌ ହେଉଛି।

ପୂର୍ବରୁ ଠକେଇ ହୋଇଥିବା ଏକାଧିକ ଜାଲ୍‌‌ କମ୍ପାନୀ ହଂକଂରେ ପଞ୍ଜୀକରଣ କରାଯାଇଥିବା ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖ)ତଦନ୍ତରୁ ଜାଣିବାକୁ ପାଇଛି। କିଭଳି ଭାରତରୁ ଠକେଇ କରାଯିବ, ସେନେଇ ଦୁବାଇରୁ ନକ୍ସା ପ୍ରସ୍ତୁତ କରୁଛନ୍ତି ଚୀନ୍‌‌ର ମାଷ୍ଟରମାଇଣ୍ଡ। ପରେ ପୂର୍ବ ପ୍ଳାନ୍‌‌ ଅନୁସାରେ ଠକେଇ କରାଯାଇଛନ୍ତି। ଇଓଡବ୍ଲ୍ୟୁ ତଦନ୍ତ କରିବା ପରେ ଏଭଳି ଏକ ତଥ୍ୟ ପାଇଥିବା ଇଓଡବ୍ଲ୍ୟୁ ଏସ୍‌‌ପି ଦିଲ୍ଲୀପ ତ୍ରିପାଠି ସୂଚନା ଦେଇଛନ୍ତି। ଏହି ଚାଇନା ଠକଙ୍କୁ ସାବାଡ଼ କରିବା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରି ଇଓଡବ୍ଲ୍ୟୁ। ଏଥିପାଇଁ ଇଓଡବ୍ଲ୍ୟୁ ଇଣ୍ଟରପୋଲ୍‌‌ର ସହାୟତା ଲୋଡ଼ିଛି। ଗତ ୩ ବର୍ଷରେ ଭାରତକୁ ଆସିଥିବା ଚାଇନା ନାଗରିକଙ୍କ ତଥ୍ୟ ଯାଞ୍ଚ କରାଯାଉଛି। କେତେ ଦିନ ରହିଥିଲେ ଇତ୍ୟାଦି ବିଷୟରେ ଅନୁସନ୍ଧାନ କରାଯାଉଛି। ବର୍ଷକ ତଳେ ଆସିଥିବା ଚାଇନା ନାଗରିକଙ୍କ ମଧ୍ୟରୁ କିଏ ପୁଣି ଥରେ ଭାରତକୁ ଆସିଛନ୍ତି, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ଭାରତରୁ ଟଙ୍କା ଦୁବାଇକୁ ଟ୍ରାଞ୍ଜାକ୍‌‌ସନ ହେଉଥିଲେ, ଏହା ଉପରେ ନଜର ରଖିବାକୁ ମଧ୍ୟ ଆରବିଆଇକୁ କୁହାଯାଇଛି। ଯଦି କୌଣସି ଆକାଉଣ୍ଟରୁ ବଡ଼ ଆକାରରେ ଟ୍ରାଞ୍ଜାକ୍‌‌ସନ କରାଉଥାଏ, ତେବେ ଏନେଇ ତଦନ୍ତକାରୀ ସଂସ୍ଥାକୁ ଜଣାଇବାକୁ କୁହାଯାଇଛି।

ପୂର୍ବରୁ ଟଙ୍କା ଠକେଇର ମାଧ୍ୟମ ଥିବା ଜଏନ୍‌‌ ଟ୍ରେଡ୍‌‌ ଆପ୍‌‌ ମଧ୍ୟ ଏହିଭଳି ହଂକଂରେ ପଞ୍ଜୀକରଣ ହୋଇଥିବା ବେଳେ ଦୁବାଇରୁ ଅପ୍‌‌ରେଟ୍‌‌ ହେଉଛି। ବଡ଼ କଥା ହେଲା, ଠକେଇ ପାଇଁ ବିଭିନ୍ନ ରାଜ୍ୟର ରାଜଧାନୀରେ କଲ୍‌‌ ସେଣ୍ଟର ଖୋଲାଯାଉଛି। ବେକାରୀ ପିଲାଙ୍କୁ ଏଥିରେ ନିଯୁକ୍ତି ଦିଆଯାଉଛି। ଏହି କଲ୍‌‌ ସେଣ୍ଟରରୁ ବିଭିନ୍ନ ଲୋକଙ୍କୁ ଫୋନ୍‌‌ କରାଯାଇ ସେମାନଙ୍କୁ ଲୋଭନୀୟ ଅଫର ଦେଖାଇ ଆପ୍ୟାୟିତ କରୁଛନ୍ତି। ପରେ ସେମାନଙ୍କ ମାଧ୍ୟମରେ ଠକେଇ କରୁଛନ୍ତି। ଏହିଭଳି ୧୫୦ ଆପ୍‌‌ ଉପରେ ଇଓଡବ୍ଲ୍ୟୁ ନଜର ରଖିଛି। ଏହି ଆପ୍‌‌ଗୁଡିକ ବିନା ପଞ୍ଜୀକରଣରେ କାର୍ଯ୍ୟକାରୀ ହେଉଛି। ତେଣୁ ଏହି ଆପ୍‌‌କୁ ବନ୍ଦ କରିବା ପାଇଁ ଗୁଗଲ୍‌‌କୁ ଇଓଡବ୍ଲ୍ୟୁ ଚିଠି ଲେଖିଥିବା ଜଣାପଡ଼ିଛି।

ଏବେ ଇଓଡବ୍ଲ୍ୟୁ ପାଇଁ ଚିନ୍ତା ପାଲଟିଛି ବନ୍ଦ ହେଉଥିବା ଆପ୍‌‌। ଇଓଡବ୍ଲ୍ୟୁ ଗୋଟିଏ ଆପ୍‌‌ ବନ୍ଦ କରୁଥିବା ବେଳେ ଠକମାନେ ପୁଣି ନୂଆ ନାମରେ ଆଉ ଏକ ଆପ୍‌‌ ଖୋଲୁଛନ୍ତି। କୋଟି କୋଟି ଟଙ୍କା ଠକି ନେବା ପରେ ମଧ୍ୟ ଏହି ଆପ୍‌‌ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ଜାଣିପାରୁନି। ବିଶେଷକରି ଲୋନ୍‌‌ ଆପ୍‌‌, ଅନ୍‌‌ଲାଇ୍‌‌ନ୍‌‌ ଟ୍ରେଡିଂ ଆପ୍‌‌, ୧୮ଫୁଟ୍‌‌ବଲ୍‌‌ଡଟ୍‌‌କମ୍‌‌ ଆପ୍‌‌, ଜଏନ୍‌‌ ଟ୍ରେଡ୍‌‌ ଆପ୍‌‌ ଆଦି ହଂକଂରେ ରେଜିଷ୍ଟ୍ରେସନ ହୋଇଥିଲା। କିନ୍ତୁ ଏହା ପରବର୍ତ୍ତୀ ସମୟରେ ଦୁବାଇରୁ ଅପରେଟ୍‌‌ ହେଉଥିଲା। ଏଭଳି ଜାଲ୍‌‌ କମ୍ପାନୀ ଠକେଇ କରୁଥିବାରୁ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ଇଓଡବ୍ଲ୍ୟୁ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଛି।

Leave a Comment