ଆଜିଠୁ ସଂସଦର ଶୀତ ଅଧିବେଶନ: ଓଡ଼ିଶାର ତିନି ଦଳର ସାଂସଦଙ୍କ ରଣନୀତି

Bartanews

ଆଜିଠୁ ସଂସଦର ଶୀତ ଅଧିବେଶନ: ଓଡ଼ିଶାର ତିନି ଦଳର ସାଂସଦଙ୍କ ରଣନୀତି

ନୂଆଦିଲ୍ଲୀ: କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ଶୀତକାଳୀନ ଅଧିବେଶନରେ ବିଭିନ୍ନ ବିଲ୍‌ ପାସ୍ କରିବା ପାଇଁ ସରକାରଙ୍କ ମୁଖ୍ୟ ଏଜେଣ୍ଡା ରହିଥିବା ବେଳେ ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ସାଂସଦମାନେ ବିଲ୍‌ ଉପରେ ଆଲୋଚନାରେ ଭାଗ ନେବା ସହିତ ରାଜ୍ୟ ସଂପର୍କିତ ଏକାଧିକ ପ୍ରସଙ୍ଗ ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି।

ବିଜେଡି ପକ୍ଷରୁ ଉଭୟ ସଦନରେ ଓଡ଼ିଶାର ସ୍ବାର୍ଥସମ୍ବଳିତ ପ୍ରସଙ୍ଗ ସହ ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଥିବା ବିଷୟକୁ ଉପସ୍ଥାପନ କରାଯିବ। ଏଥର ବିଜେଡିର ଏଜେଣ୍ଡାରେ ଯେଉଁ ଦଶଟି ପ୍ରସଙ୍ଗକୁ ସାମିଲ କରାଯାଇଛି ତାହାକୁ ବିଜେଡି ପକ୍ଷରୁ ପୂର୍ବରୁ ଅନେକ ଥର ସଦନରେ ଉପସ୍ଥାପନ କରାଯାଇଛି। ଓଡ଼ିଶାରେ ବିଧାନ ପରିଷଦ ନେଇ ଦୀର୍ଘଦିନ ‌ହେଲା ଦାବି ହୋଇଆସୁଛି। ଏ ସଂକ୍ରାନ୍ତ ବିଲ୍ ଆଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରମୁଖଭାବେ ବିଜେଡି ଦାବି କରିବ। ଏଥର ସରକାରଙ୍କ ଦ୍ବାରା ଯେଉଁସବୁ ବିଲ୍ ଆଗତ କରାଯିବାକୁ ନେଇ ସୂଚୀବଦ୍ଧ କରାଯାଇଛି ସେଥିରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍ ସ୍ଥାନ ପାଇନାହିଁ। ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ପ୍ରସ୍ତାବ ମଧ୍ୟ ଗୂହୀତ ହୋଇସାରିଛି। ହେଲେ ଏହା ଏଯାବତ୍ କେନ୍ଦ୍ରର ମଂଜୁରୀ ଲାଭ କରିପାରି ନାହିଁ। ଏଥର ଏହି ଦାବିକୁ ଜୋରସୋରରେ ଉଭୟ ସଦନରେ ବିଜେଡି ପକ୍ଷରୁ ଉପସ୍ଥାପନ କରାଯିବ। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା (ଗ୍ରାମୀଣ) ଅଧୀନରେ ରାଜ୍ୟକୁ ଅଧିକ ଆବାସ ଆବଣ୍ଟନ କରିବା ଏବଂ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଓଡ଼ିଶାର ଜନଜାତି ତାଲିକାରେ ୧୬୯ ପ୍ରସ୍ତାବକୁ ସାମିଲ କରିବା ସଂପର୍କିତ ଦାବିକୁ ବିଜେଡି ସଦନରେ ଉପସ୍ଥାପନ କରିବ। ଏଥିସହିତ ସଂସଦରେ ବିଜେଡି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର, ଫସଲ ବୀମା ପ୍ରସଙ୍ଗ, ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, ସ୍ବାମୀନାଥନ କମିଶନ ରିପୋର୍ଟର ସୁପାରିସ ଲାଗୁ କରିବା ତଥା ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ନେଇ ଦାବି ଉଠାଇବ। ଉଭୟ ସଦନରେ ଦଳ ପକ୍ଷରୁ କେଉଁ ସାଂସଦ କେଉଁ ପ୍ରସଙ୍ଗ ତଥା ବିଲ୍‌ର ଆଲୋଚନାରେ ଭାଗ ନେବେ ତାହା ବିଜେଡି ସାଂସଦମାନଙ୍କ ବୈଠକରେ ଚୂଡ଼ାନ୍ତ କରାଯିବ।

ଅପର‌ପକ୍ଷେ ସଂସଦର ଶୀତ ଅଧିବେଶନରେ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମୁଖ ପ୍ରସଙ୍ଗ କରାଯିବ ବୋଲି ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା ସମ୍ବାଦକୁ କହିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର କ୍ରିୟାନ୍ବୟନରେ ଅନିୟମିତତା, ପିସି କାରବାରରେ ରୋକ ନ ଲାଗିବା, ମଣ୍ଡି ସମସ୍ୟା, ଧାନ କିଣାବିକାରେ ବ୍ୟାପକ ଦୁର୍ନୀତି, ଚାଷୀଙ୍କ ଶୋଷଣ ଭଳି ପ୍ରସଙ୍ଗକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥି ସହିତ ରାଜ୍ୟରେ ଅଧପନ୍ତରିଆ ରହିଥିବା ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ। କେନ୍ଦ୍ର ରାଜ୍ୟକୁ ପର୍ଯ୍ୟାପ୍ତ ଅର୍ଥ ଆବଣ୍ଟନ କରୁଥିବା ବେଳେ ରାଜ୍ୟରେ ବିକାଶ କାର୍ଯ୍ୟ ହେଉନାହିଁ। ଆଦିବାସୀମାନେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ମଧ୍ୟ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଉନାହିଁ। ଏହି ପ୍ରସଙ୍ଗକୁ ମଧ୍ୟ ବିଜେପି ସାଂସଦମାନେ ସଦନରେ ଉଠାଇବେ ବୋଲି ସେ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରସଙ୍ଗକୁ ମଧ୍ୟ ଦୋହରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଜେପି ସାଂସଦ ସେମାନଙ୍କର ସଂସଦୀୟ କ୍ଷେତ୍ରର ପ୍ରସଙ୍ଗଗୁଡିକ ମଧ୍ୟ ଉପସ୍ଥାପନ କରିବେ। ସେହିଭଳି କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ଦରଦାମ ବୃଦ୍ଧି, ବେରୋଜଗାରୀ, ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା, ଆଦିବାସୀଙ୍କ ସମସ୍ୟା ଏବଂ କେବିକେ ଅଂଚଳର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରିବା ନେଇ ସଦନରେ ଦାବି ଉପସ୍ଥାପନ କରି‌ବେ ବୋଲି ଜଣାପଡିଛି।

Leave a Comment