ବିପୁଳ ଟଙ୍କା ଧରାପଡ଼ିବା ନେଇ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀଙ୍କୁ ଗିରଫ କଲା ଭିଜିଲାନ୍ସ

Bartanews

ବିପୁଳ ଟଙ୍କା ଧରାପଡ଼ିବା ନେଇ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀଙ୍କୁ ଗିରଫ କଲା ଭିଜିଲାନ୍ସ

କୋରାପୁଟ: ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ବିପୁଳ ଟଙ୍କା ଧରାପଡ଼ିବା ନେଇ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୁଶାନ୍ତଙ୍କ ଠାରୁ ମୋଟ ୩୭ଲକ୍ଷ ଟଙ୍କା ପାଇଛି ଭିଜିଲାନ୍ସ।

ଗତକାଲି ରାତିରୁ ଲକ୍ଷାଧିକ ନଗଦ ଟଙ୍କା ସହ ଧରାପଡିଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ କଟକ ସରକାରୀ କ୍ବାର୍ଟର୍ସରୁ ମିଳିଥିଲା ପୁଣି ବିଡ଼ା ବିଡ଼ା ଟଙ୍କା। ଏତେ ଟଙ୍କା ଦେଖି ରେଡ କରୁଥିବା ଭିଜିଲାନ୍ସ ଅଧିକାରୀବି ତାଜୁବ ହୋଇଯାଇଥିଲା। ଆଇଆଇସି ସୁଶାନ୍ତ ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା। ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ଗତକାଲି ତାଙ୍କ ବୈପାରିଗୁଡ଼ା କ୍ବାର୍ଟର୍ସ, ବସ୍ ଓ ଅଫିସରୁ ସାଢ଼େ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା।

ସୂଚନାଯୋଗ୍ୟ, ବୈପାରିଗୁଡାରୁ ସେ ଟଙ୍କା ନେଇ ବସରେ କଟକ ଯାଉଥିବା ବେଳେ ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଆଇଆଇସିଙ୍କୁ ଜୟପୁର ନିକଟରେ ଅଟକାଇଥିଲା । ତଲାସୀ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।

ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । ତାଙ୍କଠାରୁ ଗତକାଲି ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ସରକାରୀ କ୍ବାର୍ଟର୍ସ ଓ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା।

Leave a Comment