୨ ଠିକା ସଂସ୍ଥା ବିରୋଧରେ ଏତଲା: ଧାର୍ଯ୍ୟ ସମୟରେ ସରିଲାନି ନିର୍ମାଣ, କଠୋର ହେଲା ବିଏମ୍‌ସି

Bartanews

କର୍ପୋରେଟର ଓ ସାଂସଦଙ୍କ ପ୍ରତିନିଧି ମୁହାମୁହିଁ: ବିଏମ୍‌ସି ବିନାନୁମତିରେ ପାର୍କରେ ହାଇମାଷ୍ଟ ଲାଇଟ ଲଗାଇବାକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଜନସାଧାରଣଙ୍କ ସ୍ୱାର୍ଥ ସହ କୌଣସି ପରିସ୍ଥିତିରେ ବୁଝାମଣା ହେବନାହିଁ। ଏହି ଆଧାରରେ ବିଏମ୍‌ସି ଦୁଇଟି ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି। ଧାର୍ଯ୍ୟ ସମୟ ଅବଧି‌ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଜନସ୍ବାର୍ଥରେ ଘୋର ବାଧା ଉପୁଜିଛି। ଏଣୁ ଏଭଳି କଠୋର ପଦକ୍ଷେପ ନିଆଯାଇଛି। କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଜେଡ୍‌ଡିସି(ଉତ୍ତର) ସ୍ବାଗତ ଦାସ ବ୍ରିଜ୍ ଆଣ୍ଡ ରୁଫ୍‌ କୋ (ଇଣ୍ଡିଆ) ଲିମିଟେଡ୍‌ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ବେଳେ ବିଜ୍ଞାନ କନ୍‌ଷ୍ଟ୍ରକସନ ପ୍ରାଃ ଲିଃ ବିରୋଧରେ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ହୃଷୀକେଶ ସାହୁ। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ମୁତାବକ, ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ଯୋଜନାରେ ମଣ୍ଡପ ବସ୍ତିରେ ୪୦୦ ପରିବାର ପାଇଁ ଗୋଟିଏ କ୍ଲଷ୍ଟର ନିର୍ମାଣ କରିବାକୁ ବିଏମ୍‌ସି ଯୋଜନା କରିଥିଲା। ଆବାସ ନିର୍ମାଣ ପାଇଁ ୨୦୧୪ ସେପ୍ଟେମ୍ବର ୨୭ରେ କୋଲକାତାର ମେସର୍ସ ବ୍ରିଜ୍ ଆଣ୍ଡ ରୁଫ୍‌ କୋ (ଇଣ୍ଡିଆ) ଲିମିଟେଡ୍‌ କମ୍ପାନି ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ବା ୨୦୧୬ ଜୁଲାଇ ୨୭ ତାରିଖ ସୁଦ୍ଧା ୫ (ଜି+୪)ମହଲା ବିଶିଷ୍ଟ କୋଠା ନିର୍ମାଣ ସାରିବାକୁ ଚୁକ୍ତି ରହିଥିଲା। ସେହି ଆଧାରରେ ଆବଶ୍ୟକ ଜମି ଓ ୨୧ କୋଟି ଟଙ୍କା ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ସର୍ତ୍ତ ଥିଲା କି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ନିର୍ମାଣ ନସାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ସମୟ ସୀମା ଶେଷ ହେବାର ୭ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଘର ନିର୍ମାଣ ସାରିପାରିଲା ନାହିଁ। ବରଂ ନିର୍ମାଣ କାର୍ଯ୍ୟକୁ ସବ୍‌-ଲେଟ୍‌ ଦେଇଦେଇଥିଲା। ସର୍ତ୍ତ ଉଲ୍ଲଘଂନ କରି ଜମିର ଅପବ୍ୟବହାର କରିଥିଲା। ତା’ ସହ ନିମ୍ନମାନର କାମ ମଧ୍ୟ କରିଥିଲା। ଏଣୁ ୨୧ କୋଟି ଟଙ୍କା ଫେରସ୍ତ କରିବାକୁ ବିଏମ୍‌ସି ତାଗିଦ କରିଥିଲା।
ସଂସ୍ଥା କର୍ମକର୍ତ୍ତାଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା। ଲାଭଖୋର ମନୋବୃତ୍ତି, ମନ୍ଦ ଉଦେଶ୍ୟ, ବିଏମ୍‌ସିକୁ ଠକିବା, ଗରିବ ବସ୍ତିବାସିନ୍ଦାଙ୍କ ସ୍ବାର୍ଥରେ ବାଧା ସୃଷ୍ଟି କରିବା ଓ ସର୍ବସାଧାରଣ ଅର୍ଥ ୨୧ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଏହି ଏତଲା ଲେଖାଯାଇଛି। ଏବେ ସଂପୃକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତି ବାତିଲ କରି ଅନ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦେଲେ, ବିଏମ୍‌ସିକୁ ବହୁ ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଣୁ ସଂସ୍ଥା ଓ ଏହାର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ମଞ୍ଚେଶ୍ବର ଥାନାରେ ଦିଆଯାଇଥିବା ଏତଲା ମୁତାବକ, ବିଜ୍ଞାନ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ୍ ପଳାଶୁଣି ଠାରେ ଏକ ମେଗା ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନିର୍ମାଣ କରିବା ପାଇଁ ଠିକା ନେଇଥିଲା। ଚଳିତ ଏପ୍ରିଲ ୬ରେ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୩ ତାରିଖରେ ନିର୍ମାଣ କାମ ସାରିବାକୁ ଥିଲା। କିନ୍ତୁ ସମୟ ସୀମା ଶେଷ ହେବାର ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ୬୦ ପ୍ରତିଶତ କାମ ସରିନଥିଲା। ପୂର୍ବରୁ ସମ୍ପୃକ୍ତ ଠିକାଦାରଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ଏହା କାର୍ଯ୍ୟକ୍ଷମ ନ ହୋଇପାରିବାରୁ ଟିଟିଏସ୍‌ରେ ଆବର୍ଜନା ପରିମାଣ ବଢ଼ି ଯାଇଥିଲା। ଏଣୁ ଏହାର ପରିଚାଳନା ପାଇଁ ବିଏମ୍‌ସି ଟିଟିଏସ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ବର୍ଜ୍ୟ ପରିଚାଳନା ଆରମ୍ଭ କରିଥିଲା। ଯେଉଁଥିପାଇଁ ବିଏମ୍‌ସି ଖର୍ଚ୍ଚାନ୍ତ ହୋଇଥିଲା। ବଡ଼କଥା ହେଉଛି ଟିଟିଏସ୍‌ରେ ବର୍ଜ୍ୟ ପରିଚାଳନା ବେଳେ ପ୍ରବଳ ଦୁର୍ଗନ୍ଧ ବାହାରୁ ଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଏମ୍‌ସି ମେଗା ଏମ୍‌ସିସି କରି ତିନିଟି ଜୋନ୍‌ରେ ବିଜ୍ଞାନ ସମ୍ମତ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ଯୋଜନା କରୁଥିଲେ ମଧ୍ୟ କିଛି ଠିକା ସଂସ୍ଥା ପାଇଁ କାର୍ଯ୍ୟ ବିଳମ୍ବ ହେବା ସହ ଜନସ୍ବାର୍ଥରେ ବାଧା ଆସୁଛି। ତେଣୁ ସଂପୃକ୍ତ ସଂସ୍ଥା ଓ ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଅନୁରୋଧ କରାଯାଇଛି। କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି, ଠିକାସଂସ୍ଥାଙ୍କ ମନମାନି ପାଇଁ ଜନସ୍ବାର୍ଥରେ ବାଧା ଆସୁଛି ଓ ବିଏମ୍‌ସି ମଧ୍ୟ ବଦନାମ ହେଉଛି। ଏଣୁ ଏହାକୁ ଗୁରୁତ୍ବର ସହ ନିଆଯାଇଛି। ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Comment