ଭୁବନେଶ୍ୱର : ପୁଣି ରିଲ୍ସ ଆଳରେ ଆତଙ୍କରାଜ। ରକ୍ତଚରିତ୍ର ଗ୍ୟାଙ୍ଗ୍ର କାରନାମା ଥମି ନ ଥିବା ବେଳେ ପୁଣି ଏକ ଗ୍ୟାଙ୍ଗ୍ ସହରରେ ରିଲ୍ସ ଆଳରେ କରିଛି ଗୁଣ୍ଡାରାଜ। ରାଜଧାନୀ ରାଜରାସ୍ତାରେ ରାଜାର ଦବଙ୍ଗଗିରି। ମାର୍କେଟକୁ ଆସିଛୁ ନୂଆ, ବଜାର କରିବୁ ଧୂଆଁ। ଡାଇଲଗ୍ ସହ ନବାବ ଷ୍ଟାଇଲରେ ଚାଲିବା ସହ ପ୍ରସ୍ତୁତ କରିଛି ଗୋଟିଏ ପରେ ଗୋଟିଏ ରିଲ୍ସ। ‘ମୋ ନାଁ ହେଲା ରାଜା ଗୁଣ୍ଡା’ ନାମରେ ଖତରନାକ ଭିଡ଼ିଓ ଭାଇରାଲ ହେଉଛି। ଏଥିରେ ଛାତି ଥରାଇ ଦେଲା ଭଳି ମାଳ ମାଳ ଭିଡିଓ ରହିଛି। କେତେବେଳେ କାହାକୁ ହାଣି ପକାଉଛନ୍ତି ତ ଆଉ କାହାକୁ ଗୁଳିମାରି ଦେଉଛନ୍ତି। ତା’ ସାଙ୍ଗକୁ ଧମକ ଆଉ ଅଭଦ୍ର ଭାଷାରେ ଗାଳିଗୁଲଜ ରହିଛି।
କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ରାଜା ଗୁଣ୍ଡା ନାଁରେ ଭିଡିଓ ଭାଇରାଲ୍ ହେଉଛି। ରାଜା ଛାତିରେ ଖପୁରି ଓ ସାପର ଚିହ୍ନ, ଦେହ ସାରା ବନ୍ଧୁକ ଓ ଛୁରିର ଟାଟୁ ରହିଛି। ସୁନାଭଳି ଚକ୍ମକ୍ କଲା ଭଳି ସୁନାଚେନ୍ ବେକରେ ପକାଇଛି। ଏକ ହୋଟେଲ କୋଠରିରେ କରାଯାଇଥିବା ରିଲ୍ସ ଭୟଭୀତ କରିଛି। ସୋସିଆଲ ମିଡିଆରେ ଏହି ସବୁ ଭିଡିଓ କେଉଁ ଉଦ୍ଦେଶ୍ୟରେ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏହି ଭିଡିଓ ସାଧାରଣ ଲୋକର ଛାତି ଥରାଇ ଦେବ ସୁନିଶ୍ଚିତ। ନୃଶଂସ ଭଳି ବ୍ୟବହାର କରୁଥିବା ଏହି ଯୁବକମାନେ ରିଲ୍ସରେ ଜଣଙ୍କ ପରେ ଜଣଙ୍କୁ ହାଣି ପକାଉଛନ୍ତି। କାହାର ଆଖି ତାଡ଼ି ପକାଉଛନ୍ତି ତ ପୁଣି ବାଘ ଭଳି ଝାମ୍ପ ଦେଇ ବେକରୁ ରକ୍ତ ଶୋଷି ପକାଉଛନ୍ତି। ଖୋଲା ଜିପରେ ବସି ରାଜରାସ୍ତା ଉପରେ ରାପ୍ କରିବା ଆଳରେ ଅଶ୍ଳୀଳ ଇଙ୍ଗିତ କରି ଭିଡିଓ ଅପଲୋଡ କରୁଛନ୍ତି।
ଏହି ଭିଡିଓ ଏବେ ଭାଇରାଲ୍ ପରେ ରିଲ୍ସରେ ଥିବା ସମସ୍ତ ଯୁବକ ଏବେ କମିସନରେଟ୍ ପୁଲିସର ସ୍କାନରକୁ ଆସିଛନ୍ତି। ସେହିପରି ପୂର୍ବରୁ ରାଜଧାନୀରେ ଦବଦବା ଜାହିର ପାଇଁ ରକ୍ତଚରିତ୍ର ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ମୁଖିଆ ସହ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ପୁଣି ଏବେ ସହରରେ ରାଜା ଗ୍ୟାଙ୍ଗ୍ ସକ୍ରିୟ ହୋଇଥିବା କୁହାଯାଉଛି।
ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଉଥିବା ରିଲ୍ସ କିମ୍ବା ଅନ୍ୟାନ୍ୟ ସୂଚନା ପାଇବା ପରେ ତୁରନ୍ତ ପୁଲିସର ଟିମ୍ ସକ୍ରିୟ ହେଉଛି। ସ୍ପେଶାଲ୍ ସ୍କ୍ୱାଡ, ଟିମ୍-୬୦ ଓ ଅପରାଧ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀମାନେ ଏହାକୁ ଯାଞ୍ଚ କରୁଛନ୍ତି। ଯେ କୌଣସି ବ୍ୟକ୍ତି ଏମିତି ନିୟମ ଭାଙ୍ଗୁଛନ୍ତି, ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେଭଳି ସୋସିଆଲ ମିଡିଆ ୟୁନିଟ୍ ଓ ଆଇଟି ସେଲ୍ଫ ନଜର ରଖୁଛି। ଯେଉଁଠି ବି କିଛି ଅପରାଧିକ କାର୍ଯ୍ୟକଳାପର ସୂଚନା ମିଳୁଛି, ସେଠାରେ ସଭେଲାନ୍ସ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଲୋକଙ୍କୁ ଭୟଭୀତ କଲାଭଳି ରିଲ୍ସ ତିଆରି କଲେ କିମ୍ୱା ପ୍ରୋଫାଇଲରେ ଥିବା ପୁରୁଣା ଭିଡିଓ ଡିଲିଟ୍ ନ କଲେ ଷ୍ଟାର ହେବା ନିଶା ଛଡ଼ାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଗାଳିଗୁଲଜର ରିଲ୍ସ କରି ୟୁଟ୍ୟୁବର ଲକ୍ଷପତି
ମହିଳା ହୁଅନ୍ତୁ ବା ଯୁବତୀ ରିଲ୍ସ କରିବା ପରେ ସୋସିଆଲ୍ ମିଡିଆ ଛାଡୁଛନ୍ତି। ପରେ ଉକ୍ତ ରିଲ୍ସକୁ ପୋଷ୍ଟ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହାକୁ ଦର୍ଶକ ଦେଖିବା ପରେ ୟୁଟ୍ୟୁବର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯୁବତୀ ଓ ମହିଳାଙ୍କୁ ରିଲ୍ସରେ ଅଭଦ୍ର ଭାଷାରେ ଆଉ ଏକ ଭିଡ଼ିଓ କରି ୟୁଟ୍ୟୁବର୍ ଛାଡ଼ିବା ଏକ ଧାରା ପାଲଟିଗଲାଣି। ଏଥିରେ ପ୍ରତିବନ୍ଧକ ରହୁଥିବାରୁ ସମସ୍ତ ୟୁଟ୍ୟୁବ କିମ୍ବା ସୋସିଆଲ ମିଡିଆରେ ଗାଳିଗୁଲଜ ଭିଡିଓ ଛାଡୁଛନ୍ତି। ଫଲୋଅର ସଂଖ୍ୟା ବଢ଼଼ିବାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଛି। ଏଣୁ ଗାଳିଗୁଲଜର ଭିଡ଼ିଓର ଚାହିଦା ବଢ଼଼ିବା ସହ ୟୁଟ୍ୟୁବରଙ୍କ ସଂଖ୍ୟା ବି ବଢ଼଼ୁଛି। ଯିଏ ଚାହିଁଲା ଏକ ଆକାଉଣ୍ଟ ଖୋଲି ଗାଳିଗୁଲଜର ଭିଡ଼ିଓ ଛାଡୁଛନ୍ତି।
ସେହିପରି ୟୁଟ୍ୟୁବରେ ପରିଚିତ ନାଁ ଅନ୍ଟ୍ୟାଲେଣ୍ଟେଡ୍ ଗାଏ। ସେ ଗାଳିଗୁଲଜର ଭିଡିଓ ଛାଡି ବେଶ ନାମ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ଉଦିତ୍ ନାୟକ। କିଛି ଦିନ ତଳେ ଜଣେ ଫଲୋଅର ତାଙ୍କ ଭିଡିଓ କମେଣ୍ଟ ଦେବାକୁ ନେଇ ବିବାଦ ହୋଇଥିଲା। ବାଲେଶ୍ୱରର ଏକ ସ୍ଥାନରେ ସମାଧନ ଲାଗି ଆସିଥିବା ଦୁଇ ଜଣ ଯୁବକକୁ ଗୁଳିମାଡ଼ କରିବା ସହ ଖଣ୍ଡାରେ ହାଣି ଦେଇଥିଲା ଉଦିତ୍। ପରେ ଉଦିତ୍ ସହ ୫ ସହଯୋଗୀଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୁଲିସ। ଆଉ ୟୁଟ୍ୟୁବକୁ ବନ୍ଦ କରିବାକୁ ଚିଠି ଲେଖି ଅବଗତ କରିଥିଲା ପୁଲିସ। ପରେ ୟୁଟ୍ୟୁବରୁ ଅନ୍ଟାଲେଣ୍ଟେଡ୍ ଗାଏ ହଟାଇ ଦେଇଥିବା ସୂଚନା ମିଳିଛି।