ମଣିଷ ରୂପରେ ରୋବଟ୍ (ଆଣ୍ଡ୍ରଏଡ୍)ମାନେ ରେସ୍ତୋରାଁରେ ଖାଦ୍ୟ ପରଷିବା ଆଉ ନୂଆ କଥା ହୋଇ ନାହିଁ। ଏବେ ଜଣେ ରେସ୍ତୋରାଁ ମାଲିକ ଏହାର ଠିକ୍ ଓଲଟା ଉପାୟରେ ଗରାଖଙ୍କୁ ଆକୃଷ୍ଟ କରୁଛନ୍ତି। ଚୀନ୍ର ଚୋଙ୍ଗକିଙ୍ଗସ୍ଥିତ ଏକ ରେସ୍ତୋରାଁରେ ଆଣ୍ଡ୍ରଏଡ୍ ବେଶରେ ଜଣେ ପରିଚାରିକା ଅତିଥି ସତ୍କାର କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ରୋବଟ୍ ପରି ହାବଭାବ ଦେଖାଇ ଉକ୍ତ ପରିଚାରିକା ଅତିଥିମାନଙ୍କୁ ଭ୍ରମରେ ପକାଇ ପାରୁଛନ୍ତି। ପ୍ରଥମେ ଅନେକ ଦର୍ଶକ ଏହି ଆଣ୍ଡ୍ରଏଡ୍ର ମଣିଷ ଭଳି ଚେହେରା ଓ ବାସ୍ତବ ହାବଭାବ ଦେଖାଇବାର କ୍ଷମତା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ରୋବଟ୍ ଏତେ ଜୀବନ୍ତ ଆଚରଣ ଦେଖାଇବା କଥା ସେମାନେ ସହଜରେ ଗ୍ରହଣ କରିପାରି ନଥିଲେ। ତେଣୁ ବିଭିନ୍ନ ଖବର ସରବରାହ ସଂସ୍ଥା ଉକ୍ତ ରୋବଟ୍ ପରିଚାରିକାଙ୍କୁ ଦେଖିବାକୁ ରେସ୍ତୋରାଁରେ ପହଞ୍ଚିଥିଲେ। ମାତ୍ର ସେଠାରେ ପହଞ୍ଚିଲା ପରେ ସେମାନେ ଜାଣିବାକୁ ପାଇଲେ ଯେ ଜଣେ ମହିଳା ଏପରି ରୋବଟ୍ ଅଭିନୟ କରୁଛି। ଅଭିନୟ କରୁଥିବା ପରିଚାରିକା ଜଣକ ହେଉଛନ୍ତି ଉକ୍ତ ରେସ୍ତୋରାଁର ମାଲିକାଣୀ ୨୬ ବର୍ଷୀୟା କିନ୍। ନୃତ୍ୟରେ ରୁଚି ରଖିଥିବା କିନ୍ ତିନି ବର୍ଷ ତଳେ ଉକ୍ତ ରେସ୍ତୋରାଁ ଆରମ୍ଭ କରିଥିଲେ। ତେବେ ଚଳିତ ବର୍ଷ ସେ ନିଜକୁ ଏକ ଆଣ୍ଡ୍ରଏଡ୍ ପରିଚାରିକା ଭଳି ଉପସ୍ଥାପନ କଲା ପରେ ତାଙ୍କ ରେସ୍ତୋରାଁର ଚାହିଦା କଳ୍ପନାତୀତ ଭାବେ ବଢ଼ିଯାଇଛି।